ହନୁମାନଙ୍କ ଦେହରେ ସିନ୍ଦୁର ବୋଳନ୍ତି କାହିଁକି ?

” ଅଭୁତ ରାମାୟଣ ” ଅନୁସାରେ ଥରେ ଏକ ମଙ୍ଗଳବାର ଦିନ ସକାଳେ ହନୁମାନଙ୍କୁ ଭୋକ ଲାଗିବାରୁ କିଛି ଫଳ ଆଣିବା ପାଇଁ ସେ ମାତା ସୀତାଙ୍କ ପାଖରେ ପହଞ୍ଚିଲେ | ସୀତା ସେତେବେଳେ ନିଜ ସୀମନ୍ତରେ ସିନ୍ଦୁର ଲଗାଉଥିଲେ | ଏହାଦେଖି ହନୁମାନ, ସିନ୍ଦୁର ଲଗାଇବାର କାରଣ କଣ ସୀତାଙ୍କୁ ପଚାରିଲେ | ସୀତା କହିଲେ, ସଧବା ସ୍ତ୍ରୀ ଲୋକମାନେ ସ୍ୱାମୀର ମଙ୍ଗଳ ପାଇଁ ସୀମନ୍ତରେ ସିନ୍ଦୁର ଲଗାନ୍ତି | ଏ କଥା ଶୁଣି , ହନୁମାନ ଭାବିଲେ କେବଳ ସୀମନ୍ତରେ ସିନ୍ଦୁର ଲଗାଇଲେ ଯଦି ମଙ୍ଗଳ ହେବ, ତେବେ ସାରା ଶରୀରରେ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କର ନିଶ୍ଚୟ ଅତି ମଙ୍ଗଳ ହେବ | ଏହା ଭାବି ନିଜ ସ୍ୱାମୀ ଶ୍ରୀରାମଙ୍କର ମଙ୍ଗଳ କାମନାକରି ସେ ନିଜ ଶରୀରରେ ସିନ୍ଦୁର ବୋଳି ହୋଇ ରାମଙ୍କ ସଭାରେ ଉପସ୍ଥିତ ହେଲେ | ହନୁମାନଙ୍କର ଅବସ୍ଥା ଦେଖି ସଭାସଦସ୍ୟମାନେ ହସିଲେ , ମାତ୍ର ରାମ ହନୁମାନଙ୍କ ଉଦେଶ୍ୟ ବୁଝିପାରି ତାଙ୍କୁ ବର ପ୍ରଦାନ କଲେ ଯେ, ଯଦି କେହି ମଙ୍ଗଳବାର ଦିନ ହନୁମାନଙ୍କ ଦେହରେ ଗୁଆ, ସିନ୍ଦୁର ଲଗାଇବ, ତେବେ ତାକୁ ମୋର ପ୍ରସନ୍ନତା ପ୍ରାପ୍ତିହେବ | ତାହାର ସମସ୍ତ ମନୋକାମନା ପୂରଣ ହେବ | ସେହି ଦିନଠାରୁ ମନୋକାମନା ପୂରଣ ପାଇଁ ଲୋକେ ମଙ୍ଗଳବାର ଦିନ ହନୁମାନଙ୍କ ଶରୀରରେ ଚୁଆ, ସିନ୍ଦୁର ଲଗାନ୍ତି | ଏହା ସହିତ ହନୁମାନଙ୍କ ସ୍ତୋତ୍ର ପାଠ କଲେ ଅତି ସୁଫଳ ମିଳେ |

Leave a Comment